*ସଂସାର ଜଞ୍ଜାଳ*
ବାସନ୍ତୀ ଲତା ଜେନା
ଅଳିକ ସଂସାରେ କ୍ଷଣିକ ଜୀବନ
ଦୁଃଖ ସୁଖ ଖରା ଛାଇ
କେତେ ବେଳେ ହସ କେତେ ବେଳେ କାନ୍ଦ
ସଂସାର ଜଞ୍ଜାଳ ସହି l୧l
ଅଥଳ ଜଳରେ ନାବିକ ସାଜିଛି
କାତ ମୋର ପାଉ ନାହିଁ
ନାଆ ଟଳମଳ ଚିନ୍ତାରେ ବ୍ୟାକୁଳ
ରଖ ପ୍ରଭୁ ଭାବ ଗ୍ରାହୀ l୨l
ସ୍ୱଳ୍ପ ରୋଜଗାର ଚଳାଇ ପାରୁନି
ଘର ପରିବାର ମୋର
ଛୋଟିଆ ଚାଦର ଘୋଡାଇ ହେଉନି
ସୁଖ ଶାନ୍ତି ହୁଏ ପର l୩l
ସଂସାର ଜଞ୍ଜାଳ ବୁଢିଆଣୀ ଜାଲ
ସମସ୍ୟାର ଗନ୍ତାଘର
ଗୋଟିଏ ତୁଟିଲେ ଅନ୍ୟଟି ହାଜର
ଦୁଃଖେ ଦିନ କଟେ ମୋର l୪l
ପିତା ମାତା ଆଉ ସନ୍ତାନ ସନ୍ତତି
ଅଭିଯୋଗ ଘରଣୀର
ଏହା ଆଣିଦିଅ ତାହା ଆଣିଦିଅ
ଅର୍ଥ ନାହିଁ ମୋ ପାଖର l୫l
ସଂସାର ଜଞ୍ଜାଳେ ଜର୍ଜରିତ ହୁଏ
ଲୋଭ ମୋହ ମାୟା ସାଥି
ସତ୍ୟ ପଥ ଛାଡି ଅବାଟକୁ ଗଲେ
ପାପ ହେବ ମୋର ରଥି l୬l
ଜାଣେ ନାହିଁ ପ୍ରଭୁ ପାପ ପୂଣ୍ୟ କିଛି
ସତ୍ୟରେ ପଥ ଦେଖାଅ
ଅବାଟରେ ଯେବେ ପାଦ ମୋ ପଡିବ
ହାତ ଧରି ଟାଣି ନିଅ l୭l
ଅନ୍ୟାୟ ଅନୀତି କରୁ ନାହିଁ ପ୍ରଭୁ
ସ୍ୱଳ୍ପରେ ଯାଏ ମୁଁ ଚଳି
ସଂସାର ଜଞ୍ଜାଳେ ତିଳ ତିଳ ଜଳେ
ମନ ଯାଉଛି ମଉଳି l୮l
ଶରୀରରେ ବଳ ଭରି ଦିଅ ତୁମେ
କର୍ତ୍ତବ୍ୟ ମୁଁ ଯାଏ କରି
ତୁମେ ଏକା ସତ୍ୟ ଆଉ ସବୁ ମିଥ୍ୟା
ତୁମକୁ ହୁଏ ମୁଁ ଝୁରି l୯l
ଗାନ୍ଧୀନଗର, ପୋଷ୍ଟ / ଜିଲ୍ଲା : ନବରଙ୍ଗପୁର
